Languages
9
ପାର୍ଥିବ ପବିତ୍ର ସ୍ଥାନ

1 ପ୍ରକୃତରେ ସେହି ପ୍ରଥମ ନିୟମର ମଧ୍ୟ ଉପାସନା ସମ୍ବନ୍ଧୀୟ ନାନା ବିଧିବିଧାନ ଓ ଗୋଟିଏ ପାର୍ଥିବ ପବିତ୍ର ସ୍ଥାନ ଥିଲା। 2 କାରଣ ଗୋଟିଏ ତମ୍ବୁ ନିର୍ମିତ ହୋଇଥିଲା, ସେଥିର ପ୍ରଥମ ଭାଗରେ ଦୀପବୃକ୍ଷ, ମେଜ ଓ ଉତ୍ସର୍ଗୀକୃତ ରୁଟି ଥିଲା ତାହାକୁ ପବିତ୍ର ସ୍ଥାନ ବୋଲି କହନ୍ତି।

3 ପୁଣି, ଦ୍ୱିତୀୟ ଯବନିକାର ପଶ୍ଚାତରେ ତମ୍ବୁର ଯେଉଁ ଭାଗ ଥିଲା, ତାହାକୁ ମହାପବିତ୍ର ସ୍ଥାନ ବୋଲି କହନ୍ତି; 4 ସେଠାରେ ସୁବର୍ଣ୍ଣର ଧୂପବେଦି ଓ ଚତୁଃପାର୍ଶ୍ୱ ସୁବର୍ଣ୍ଣ ମଣ୍ଡିତ ନିୟମ-ସିନ୍ଦୁକ ଥିଲା। ସେହି ନିୟମ-ସିନ୍ଦୁକରେ ମାନ୍ନା ରଖାଯାଇଥିବା ଗୋଟିଏ ସୁବର୍ଣ୍ଣର ପାତ୍ର, ହାରୋଣଙ୍କ ମଞ୍ଜରିତ ଯଷ୍ଟି ଓ ନିୟମର ଦୁଇ ପ୍ରସ୍ତରଫଳକ ଥିଲା, 5 ଆଉ ତାହା ଉପରେ ପାପାଚ୍ଛାଦନକୁ ଛାୟା କରୁଥିବା ଈଶ୍ବରଙ୍କ ଗୌରବସୂଚକ ଦୁଇଟି କିରୂବ ଥିଲେ; ସେହିସବୁ ବିଷୟରେ ଏବେ ଆମ୍ଭେମାନେ ସବିଶେଷ କହି ନ ପାରୁ। 6 ଏହିସବୁ ଏହି ପ୍ରକାରେ ପ୍ରସ୍ତୁତ ହୋଇଥିବାରୁ ଯାଜକମାନେ ଉପାସନା କରିବା ନିମନ୍ତେ ତମ୍ବୁର ପ୍ରଥମ ଭାଗରେ ସର୍ବଦା ପ୍ରବେଶ କରନ୍ତି, 7 କିନ୍ତୁ ଦ୍ୱିତୀୟ ଭାଗରେ କେବଳ ମହାଯାଜକ ବର୍ଷକୁ ଥରେ ପ୍ରବେଶ କରନ୍ତି, ଆଉ ସେ ଆପଣାର ଓ ଲୋକମାନଙ୍କର ଅଜ୍ଞାନକୃତ ପାପ ନିମନ୍ତେ ଉତ୍ସର୍ଗ କରିବାର ରକ୍ତ ନ ନେଇ ପ୍ରବେଶ କରନ୍ତି ନାହିଁ।

8 ଏଥିରେ ପବିତ୍ର ଆତ୍ମା ଏହା ପ୍ରକାଶ କରନ୍ତି ଯେ, ପ୍ରଥମ ତମ୍ବୁ ରହିଥିବା ପର୍ଯ୍ୟନ୍ତ ପବିତ୍ର ସ୍ଥାନରେ ପ୍ରବେଶ କରିବାର ପଥ ପ୍ରକାଶିତ ହୋଇ ନାହିଁ। 9 ଏହି ପ୍ରଥମ ତମ୍ବୁ ବର୍ତ୍ତମାନ ସମୟ ନିମନ୍ତେ ନିଦର୍ଶନ ସ୍ୱରୂପ, ଆଉ ତଦନୁସାରେ ଦାନ ଓ ବଳି ଉଭୟ ଉତ୍ସର୍ଗ କରାଯାଏ, କିନ୍ତୁ ଏହିସବୁ ଉପାସକକୁ ବିବେକଗତ ସିଦ୍ଧି ଦାନ କରିପାରେ ନାହିଁ; 10 ଏହି ସମସ୍ତ ଖାଦ୍ୟ, ପେୟ ଓ ବିବିଧପ୍ରକାର ଶୁଚିକ୍ରିୟା ସଂଶୋଧନର ସମୟ ପର୍ଯ୍ୟନ୍ତ ପାଳନୀୟ ଶାରୀରିକ ବିଧିବିଧାନମାତ୍ର।

ଯୀଶୁଙ୍କ ରକ୍ତରେ ମୁକ୍ତି ସାଧନ

11 କିନ୍ତୁ ଖ୍ରୀଷ୍ଟ ବର୍ତ୍ତମାନ ଉତ୍ତମ ବିଷୟର ମହାଯାଜକ ସ୍ୱରୂପେ ଉପସ୍ଥିତ ହୋଇ ଏହି ସୃଷ୍ଟିରୁ ଭିନ୍ନ ଅହସ୍ତକୃତ ମହତ୍ ଓ ଶ୍ରେଷ୍ଠତର ତମ୍ବୁ ଦେଇ ଯାଇ ଛାଗ ଓ ଗୋବତ୍ସର ରକ୍ତ ନୁହେଁ, 12 ମାତ୍ର ଆପଣାର ରକ୍ତ ଘେନି ଏକାଥରକେ ମହାପବିତ୍ର ସ୍ଥାନରେ ପ୍ରବେଶ କରି ଅନନ୍ତ ମୁକ୍ତି ସାଧନ କରିଅଛନ୍ତି। 13 କାରଣ ଯଦି ଛାଗ ଓ ବୃଷମାନଙ୍କ ରକ୍ତ ପୁଣି, ଅଶୁଚିମାନଙ୍କ ଉପରେ ସେଚିତ ଗାଭୀଭସ୍ମ ଶରୀରକୁ ପବିତ୍ର କରେ, 14 ତେବେ ଯେଉଁ ଖ୍ରୀଷ୍ଟ ଚିରନ୍ତନ ଆତ୍ମାଙ୍କ ଦ୍ୱାରା ଆପଣାକୁ ନିଖୁନ୍ତ ବଳି ସ୍ୱରୂପେ ଈଶ୍ବରଙ୍କ ନିକଟରେ ଉତ୍ସର୍ଗ କଲେ, ତାହାଙ୍କ ରକ୍ତ କେତେ ଅଧିକ ପରିମାଣରେ ଜୀବିତ ଈଶ୍ବରଙ୍କ ସେବା କରିବା ନିମନ୍ତେ ମୃତ କର୍ମରୁ ଆମ୍ଭମାନଙ୍କ ବିବେକକୁ ଶୁଦ୍ଧ ନ କରିବ!

15 ଆଉ ଏହି କାରଣରୁ ସେ ନୂତନ ନିୟମର ମଧ୍ୟସ୍ଥ ହୋଇଅଛନ୍ତି, ଯେପରି ପ୍ରଥମ ନିୟମକାଳୀନ ଅପରାଧ ମାର୍ଜନାର୍ଥେ ମୃତ୍ୟୁଭୋଗ କରିଯାଇଥିବାରୁ ଈଶ୍ବରଙ୍କ ଆହୂତ ଲୋକମାନେ ଅନନ୍ତ ଅଧିକାର ସମ୍ବନ୍ଧୀୟ ପ୍ରତିଜ୍ଞାର ଫଳପ୍ରାପ୍ତ ହୁଅନ୍ତି। 16 କାରଣ ଚୁକ୍ତି କରାଯାଇଥିଲେ ଚୁକ୍ତି କରିଥିବା ବ୍ୟକ୍ତିଙ୍କ ମୃତ୍ୟୁର ପ୍ରମାଣ ଆବଶ୍ୟକ।

17 ଯେଣୁ ମୃତ୍ୟୁ ଘଟିଲେ ଚୁକ୍ତି ବଳବନ୍ତ ହୁଏ, କାରଣ ଚୁକ୍ତି କରିଥିବା ଲୋକ ଜୀବିତ ଥିବା ପର୍ଯ୍ୟନ୍ତ ତାହା କଦାପି କାର୍ଯ୍ୟକାରୀ ହୁଏ ନାହିଁ। 18 ଏଥିନିମନ୍ତେ ପ୍ରଥମ ନିୟମ ମଧ୍ୟ ବିନା ରକ୍ତରେ ପ୍ରତିଷ୍ଠିତ ହୋଇ ନ ଥିଲା।

19 କାରଣ ମୋଶା ଲୋକମାନଙ୍କ ନିକଟରେ ବ୍ୟବସ୍ଥାନୁଯାୟୀ ସମସ୍ତ ଆଜ୍ଞା ପ୍ରକାଶ କଲା ଉତ୍ତାରେ ଜଳ, ଲୋହିତବର୍ଣ୍ଣ ମେଷଲୋମ ଓ ଏଜୋବ ସହିତ ଗୋବତ୍ସ ଓ ଛାଗର ରକ୍ତ ଘେନି ନିୟମପୁସ୍ତକ ଓ ସମସ୍ତ ଲୋକଙ୍କ ଉପରେ ସେଚନ କରି କହିଲେ, 20 ଈଶ୍ବର ତୁମ୍ଭମାନଙ୍କ ସମ୍ବନ୍ଧରେ ଯେଉଁ ନିୟମ ଆଜ୍ଞା କରିଅଛନ୍ତି, ସେହି ନିୟମର ରକ୍ତ ଏହି। 21 ଆହୁରି ମଧ୍ୟ ସେ ତମ୍ବୁ ଓ ଯାଜକୀୟ ପରିଚର୍ଯ୍ୟାର ସମସ୍ତ ପାତ୍ର ଉପରେ ସେହିପରି ରକ୍ତ ସେଚନ କଲେ। 22 ପୁଣି, ମୋଶାଙ୍କ ବ୍ୟବସ୍ଥା ଅନୁସାରେ ପ୍ରାୟ ସମସ୍ତ ବିଷୟ ରକ୍ତ ଦ୍ୱାରା ଶୁଚିକୃତ ହୁଏ, ଆଉ ରକ୍ତପାତ ବିନା ପାପ କ୍ଷମା ହୁଏ ନାହିଁ। 23 ଅତଏବ, ସ୍ୱର୍ଗସ୍ଥ ବିଷୟଗୁଡ଼ିକର ଦୃଷ୍ଟାନ୍ତ ସମସ୍ତ ଏହିସବୁ ଦ୍ୱାରା ଶୁଚିକୃତ ହେବାର ଆବଶ୍ୟକ ଥିଲା, କିନ୍ତୁ ସ୍ୱର୍ଗୀୟ ବିଷୟଗୁଡ଼ିକ ତ ଏହି ସବୁଠାରୁ ଶ୍ରେଷ୍ଠତର ବଳିଦାନ ଦ୍ୱାରା ଶୁଚିକୃତ ହେବାର ଆବଶ୍ୟକ।

24 କାରଣ ପ୍ରକୃତ ବିଷୟର ପ୍ରତିରୂପ ଯେ ହସ୍ତକୃତ ମହାପବିତ୍ର ସ୍ଥାନ, ସେଥିରେ ଖ୍ରୀଷ୍ଟ ପ୍ରବେଶ ନ କରି ବରଂ ଆମ୍ଭମାନଙ୍କ ନିମନ୍ତେ ଏବେ ଈଶ୍ବରଙ୍କ ସମ୍ମୁଖରେ ଉପସ୍ଥିତ ହେବା ପାଇଁ ସ୍ୱର୍ଗରେ ପ୍ରବେଶ କରିଅଛନ୍ତି। 25 ମହାଯାଜକ ଯେପରି ଅନ୍ୟର ରକ୍ତ ଘେନି ବର୍ଷକୁ ବର୍ଷ ମହାପବିତ୍ର ସ୍ଥାନରେ ପ୍ରବେଶ କରନ୍ତି, ସେହିପରି ସେ ଯେ ଥରକୁଥର ଆପଣାକୁ ଉତ୍ସର୍ଗ କରିବେ, ତାହା ନୁହେଁ;

26 ତାହାହେଲେ ଜଗତର ପତ୍ତନ ସମୟଠାରୁ ଥରକୁଥର ତାହାଙ୍କୁ ମୃତ୍ୟୁଭୋଗ କରିବାକୁ ହୋଇଥାଆନ୍ତା; କିନ୍ତୁ ଏବେ ସେ ଯୁଗାନ୍ତ ସମୟରେ ଆପଣାକୁ ବଳି ରୂପେ ଉତ୍ସର୍ଗ କରିବା ଦ୍ୱାରା ପାପ ଦୂର କରିବାକୁ ପ୍ରକାଶିତ ହୋଇଅଛନ୍ତି। 27 ମନୁଷ୍ୟମାନଙ୍କ ନିମନ୍ତେ ଯେପରି ଥରେ ମାତ୍ର ମୃତ୍ୟୁ, 28 ଆଉ, ତାହା ପରେ ବିଚାର ନିରୂପିତ ଅଛି, ସେହିପରି ଖ୍ରୀଷ୍ଟ ମଧ୍ୟ ଅନେକଙ୍କ ପାପ ବହନ କରିବା ନିମନ୍ତେ ଥରେ ମାତ୍ର ଉତ୍ସର୍ଗୀକୃତ ହେଲେ, କିନ୍ତୁ ଦ୍ୱିତୀୟ ଥର ପାପ ସକାଶେ ନୁହେଁ, ବରଂ ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି, ସେମାନଙ୍କ ପରିତ୍ରାଣ ନିମନ୍ତେ ଦର୍ଶନ ଦେବେ।

<- ଏବ୍ରୀ 8ଏବ୍ରୀ 10 ->